ଶାହରୁଖଙ୍କ ମନ୍ନତରେ ବିଏମ୍‌ସି-ଜଙ୍ଗଲ ବିଭାଗର ଯାଞ୍ଚ୍‌, ନିୟମ ଉଲ୍ଲଂଘନ ନେଇ ଅଭଯୋଗ

Published By : Prameya-News7 Bureau | June 23, 2025 IST

ମୁମ୍ଵାଇ ୨୩।୦୬; ଯାଞ୍ଚ୍‌ ପରିସରକୁ ଆସିଛି ବଲିଉଡ୍‌ ବାଦଶାହ ଶାହରୁଖଙ୍କ ବଙ୍ଗଳା ମନ୍ନତ। ଗତ ଶୁକ୍ରବାର ମୁମ୍ବାଇର ବାନ୍ଦ୍ରା ବ୍ୟାଣ୍ଡଷ୍ଟାଣ୍ଡ୍‌ ଅଞ୍ଚଳରେ ସ୍ଥିତ ମନ୍ନତରେ ନିର୍ମାଣ ସମ୍ବନ୍ଧୀୟ ଯାଞ୍ଚ୍‌ ହୋଇଛି । ବିଏମ୍‌ସି ଟିମ୍‌ ଓ ଜଙ୍ଗଲ ବିଭାଗ ଦ୍ୱାରା ଏହି କାର୍ଯ୍ୟାନୁଷ୍ଠାନ କରାଯାଇଛି । ରିପୋର୍ଟ ଅନୁସାରେ, ଶାହରୁଖଙ୍କର ଏହି ବଙ୍ଗଳା ସମୁଦ୍ର କୂଳରେ ଅବସ୍ଥିତ । ତଟୀୟ ନିୟମ କ୍ଷେତ୍ରର (ସିଆର୍‌ଜେଡ୍‌)ର ନିୟମ ଉଲ୍ଲଂଘନ ଅଭଯୋଗରେ ଏହାର ଯାଞ୍ଚ୍‌ କରାଯାଇଛି । 

ମନ୍ନତ ଏକ ଐତିହ୍ୟ ସମ୍ପତ୍ତି । ଏଥିରେ ଏକ ମୁଖ୍ୟ ବଙ୍ଗଳା ଏବଂ ତା’ ପଛରେ ଏକ ବହୁମହଲାବିଶିଷ୍ଟ ଅଟ୍ଟାଳିକା ରହିଛି । ଏବେ ଆନେକ୍ସ ବିଲ୍ଡିଂରେ ଦୁଇଟି ଅତିରିକ୍ତ ମହଲାର ନିର୍ମାଣ କାମ ଚାଲିଛି । ଶାହରୁଖ ଓ ତାଙ୍କ ପରିବାର ଏବେ ନିକଟସ୍ଥ ଅନ୍ୟ ଏକ ସ୍ଥାନରେ ରହୁଛନ୍ତି । ଯାଞ୍ଚ୍‌ ଟିମ୍‌କୁ ମନ୍ନତର ଜଣେ କର୍ମଚାରୀ କହିଛନ୍ତି, ଅଟ୍ଟାଳିକା ନିର୍ମାଣ ସମ୍ପର୍କିତ ସମସ୍ତ ମଞ୍ଜୁରି ପୂର୍ବରୁ ନିଆଯାଇଛି । ଦସ୍ତାବିଜ ମଧ୍ୟ ଖୁବ୍‌ଶୀଘ୍ର ଦାଖଲ କରାଯିବ । ଅନ୍ୟପକ୍ଷେ, ଶାହରୁଖଙ୍କ ମ୍ୟାନେଜର ପୂଜା ଦଦଲାନୀ କହିଛନ୍ତି, କୌଣସି ଅଭିଯୋଗ ନାହିଁ । ନିର୍ଦ୍ଧାରିତ ନିର୍ଦ୍ଦେଶାନୁସାରେ ନିର୍ମାଣ କାମ ଚାଲିଛି । ଜଙ୍ଗଲ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଅଭିଯୋଗ ପରେ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା । ସେହି ଆଧାରରେ ରିପୋର୍ଟ ପ୍ରସ୍ତୁତ କରାଯିବ । ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି, ଜଙ୍ଗଲ ବିଭାଗର ଅନୁରୋଧରେ ସେମାନେ ମନ୍ନତରେ ପହଞ୍ଚିଥିଲେ।

ସୂଚନାଯୋଗ୍ୟ, ସମାଜକର୍ମୀ ସନ୍ତୋଷ ଡାଉଣ୍ଡକର ପୂର୍ବରୁ ବିଏମ୍‌ସିକୁ ଏହି ନିର୍ମାଣ ବିରୋଧରେ ଅଭିଯୋଗ କରିଥିଲେ । ପୂର୍ବ ଆଇପିଏସ୍‌ ଅଧିକାରୀ ଏବଂ ଓକିଲ ୱାଇପି ସିଂହ ମଧ୍ୟ ଗତ ଶୁକ୍ରବାର ଏହି ନିର୍ମାଣ ଉପରେ ପ୍ରଶ୍ନ କରିଥିଲେ । ସେ କହିଥିଲେ, ମନ୍ନତର ମୂଳ ନାଁ ଭିଲା ଭିଏନା ଥିଲା । ଏହା ଏକ ଐତିହ୍ୟ ଢାଞ୍ଚା । ପରେ ଏହାର ନାମ ବଦଳାଗଲା । ୨୦୦୫ରେ ବଙ୍ଗଳା ପଛରେ ୭ ମହଲା ଅଟ୍ଟାଳିକା ନିର୍ମାଣ ହୋଇଥିଲା । ସେତେବେଳେ ଅର୍ବାନ ଲ୍ୟାଣ୍ଡ ସିଲିଂ ଅଧିନିୟମ ଲାଗୁ ହେଉଥିଲା । ଏହା ଅନ୍ତର୍ଗତ ବଡ଼ ଅଟ୍ଟାଳିକା ନିର୍ମାଣ ହୋଇ ପାରୁନଥିଲା। ଏହି ସ୍ଥିତିରୁ ବଞ୍ଚିବା ପାଇଁ ବିଏମ୍‌ସିରୁ ୧୨ ଛୋଟ ଫ୍ଲାଟ୍‌ର ମଞ୍ଜୁରି ନିଆଗଲା । ମଞ୍ଜୁରି ମିଳିବା ପରେ ଏହି ଫ୍ଲାଟ୍‌ଗୁଡ଼ିକୁ ଯୋଡ଼ି ଏକ ବଡ଼ ବିଳାସପୂର୍ଣ୍ଣ ଘର ନିର୍ମାଣ କରାଗଲା । ନଗରନିଗମ ଅଧିକାରୀଙ୍କ ହାତ ବିନା ଏହି କାମ ସମ୍ଭବ ହୋଇନଥାନ୍ତା ବୋଲି ୱାଇପି ସିଂହ ଅଭିଯୋଗ କରିଥିଲେ । ଏବେ ଏହି ଅଧିନିୟମ ଲାଗୁ ହେଉନଥିଲେ ମଧ୍ୟ ସେ ସମୟର କାର୍ଯ୍ୟାନୁଷ୍ଠାନକୁ ବୈଧ ବିବେଚନା କରାଯାଏ ବୋଲି ସେ କହିଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.